ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପଛର ରହସ୍ୟ କ’ଣ?
ପୁରୀ: ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଉପରେ ଏବେ ସମସ୍ତଙ୍କର ଆଖି। ଅକ୍ଷୟତୃତୀୟା ଠାରୁ ୨୧ ଦିନ ବ୍ୟାପି ପ୍ରଭୁଙ୍କର ବାହାର ଚନ୍ଦନ ଆରମ୍ଭ ହୋଇଛି। କୁହାଯାଏ, ଏହା ପଛରେ ଥିବା ବୈଜ୍ଞାନିକ କାରଣ ହେଉଛି, ଏହି ସମୟରେ ସୂର୍ଯ୍ୟ ଆମ ମୁଣ୍ଡ ଉପରେ ବେଶୀ ସମୟ ରହିଥାନ୍ତି, ଫଳରେ ତାପମାତ୍ରା ସହିବା ଅସହ୍ୟ ହୋଇଥାଏ। ମହାପ୍ରଭୁ ଚନ୍ଦନ ବୋଳି ହେବା ସହିତ ନୌବିହାର କରି ଜଗତକୁ ଏହି ସମୟର ସଙ୍କେତ ଦେଇଥାନ୍ତି।
ମହାପ୍ରଭୁଙ୍କର ଏହି ଚନ୍ଦନ ଯାତ୍ରା ବା ନୌବିହାର କେବଳ ପୁରୀ ନୁହେଁ, ରାଜ୍ୟ ତଥା ଦେଶ ବିଦେଶର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ। ଏଥିରେ ମୁଖ୍ୟତଃ ଦୁଇଟି ଚାପ ବ୍ୟବହାର ହୋଇଥାନ୍ତି। ବଡ଼ ଚାପର ନାମ ଭଦ୍ରା ଓ ସାନ ଚାପର ନାମ ନନ୍ଦା। ଦୁଇଟି ନୌକା ଯୋଡ଼ାଯାଇ ସେଥିରେ ହଂସର ପକ୍ଷ ଓ ମୁଖ ଯୋଡା ଯାଇଥାଏ। ଏହାକୁ ଭାସମାନ ବିମାନ ବା ଚାପ କୁହାଯାଏ। ବଡ଼ ଚାପରେ ଦୁଇ ଧାଡ଼ି ସିଂହାସନ ପଡ଼ିଥାଏ।
ଆଗ ଧାଡିରେ ରାମ ଓ କୃଷ୍ଣ ଏବଂ ପଛଧାଡ଼ିରେ ପଞ୍ଚ ମହାଦେବ ଯଥା ଜମ୍ବେଶ୍ବର ଦେବ, ଲୋକନାଥ ଦେବ, ମାର୍କଣ୍ଡେୟ ଦେବ, କପାଳମୋଚନ ଦେବ ଏବଂ ନୀଳକଣ୍ଠେଶ୍ବର ଦେବ ବିରାଜମାନ କରନ୍ତି। ଦ୍ବିତୀୟ ଶ୍ବେତମଣ୍ଡଣୀରେ ଆବୃତ୍ତ ମହାପ୍ରଭୁଙ୍କ ଚାପର ମଧ୍ୟଭାଗରେ ଆଉ ଏକ କାଠ ସିଂହାସନରେ ଶ୍ରୀ ମଦନମୋହନ, ଶ୍ରୀଦେବୀ ଏବଂ ଭୂଦେବୀ ବସି ନୌବିହାର କରନ୍ତି।
ଦୁଇଟି ଚାପ ଭଳି ନୌବିହାରକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ। ଗୋଟିଏ ଦିନ ଚାପ ଓ ଅନ୍ୟଟି ରାତି ଚାପ। ଦିନ ଚାପରେ ଠାକୁରେ ଗୋଟିଏ ଘେରା ବୁଲିବା ପରେ ଜଳକୁଣ୍ଡକୁ ବିରାଜମାନ କରିଥାନ୍ତି। ସେଠାରୁ ଉଠିବା ପରେ ବେଶ ଓ ଶୀତଳଭୋଗ ମଣୋହି ହୋଇଥାଏ।ପରେ ଚନ୍ଦନମଣ୍ଡପ ଜଗତି ଉପରକୁ ଯାଆନ୍ତି।ସେଠାରେ ପ୍ରଭୁଙ୍କୁ ମାଣ୍ଡୁଅ ଭୋଗ କରାଯାଏ ଏବଂ ପରେ ଠାକୁରମାନେ ବିଡ଼ିଆ ମଣୋହି ହେବା ପରେ ରାତି ଚାପକୁ ବିଜେ କରନ୍ତି। ରାତି ଚାପରେ ଠାକୁରେ ତିନି ଘେରା ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥାନ୍ତି।
ଭଉଁରୀ ବା ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଶେଷଦିନରେ ୨୧ ଘେରା ଚାପ ବୁଲିବା ପରମ୍ପରା ରହିଛି। ଚାପରେ ସର୍ବମୋଟ ୫ଟି ଡଙ୍ଗା ବ୍ୟବହାର ହୁଅନ୍ତି ଏବଂ ଚାରିଟି ଡଙ୍ଗାକୁ ନେଇ ଯଥାକ୍ରମେ ଭଦ୍ରା ଓ ନନ୍ଦାଙ୍କୁ ପ୍ରସ୍ତୁତ କରାଯାଏ। ଅନ୍ୟ ଏକ ଡଙ୍ଗାରେ ବଜନ୍ତରୀ ଆଦି ବାଦ୍ୟ ପରିବେଷଣ ହୋଇଥାଏ। ୨୧ ଦିନ ବ୍ୟାପି ଚାପ ସରିଯିବା ପରେ ଡଙ୍ଗାମାନେ ନରେନ୍ଦ୍ର ପୁଷ୍କରିଣୀ ମଧ୍ୟରେ ଜଳମଗ୍ନ ହୋଇ ରହିଥାନ୍ତି।
ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାର ବୃହତ୍ତମ ପୁଷ୍କରିଣୀ ଏବଂ ପଞ୍ଚତୀର୍ଥମାନଙ୍କ ମଧ୍ୟରୁ ନରେନ୍ଦ୍ର ଅନ୍ୟତମ। କୁହାଯାଏ, ପଞ୍ଚଦଶ ଶତାଦ୍ଦୀରେ ଗଜପତି କପିଳେନ୍ଦ୍ର ଦେବଙ୍କର ଭାଇ ନରେନ୍ଦ୍ର ଦେବଙ୍କ ଦ୍ବାରା ଏହି ପୁ୍ଷ୍କରିଣୀ ଖୋଳାଯାଇଥିଲା। ୨୧ ଦିନ ବାହାର ଚନ୍ଦନ ପରେ ଠାକୁରମାନଙ୍କର ୨୧ ଦିନ ଭିତର ଚନ୍ଦନ ବି ହୋଇଥାଏ।